ଷ୍ଟାରଲିଙ୍କ୍କୁ ଭାରତରେ ଅନୁମତି ନ ଦେବାକୁ ସ୍ୱଦେଶୀ ଜାଗରଣ ମଞ୍ଚର ଦାବି

ଷ୍ଟାରଲିଙ୍କ୍କୁ ଭାରତରେ ଅନୁମତି ନ ଦେବାକୁ ସ୍ୱଦେଶୀ ଜାଗରଣ ମଞ୍ଚର ଦାବି
କୋରାପୁଟ, ୨୩/୧୦ (ପ୍ରତିନିଧି): ଭାରତର ଜାତୀୟ ସୁରକ୍ଷା, ତଥ୍ୟ ସାର୍ବଭୌମତା, ନାଗରିକଙ୍କ ଗୋପନୀୟତା ଓ ସ୍ୱଦେଶୀ ଟେଲିକମ୍ ଶିଳ୍ପର ସ୍ୱାର୍ଥ ଦୃଷ୍ଟିରୁ ଆମେରିକୀୟ ବ୍ୟବସାୟୀ ଏଲନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ୍ ସାଟେଲାଇଟ୍ କମ୍ୟୁନିକେସନ୍ସ ପ୍ରାଇଭେଟ୍ ଲିମିଟେଡ୍କୁ ଭାରତରେ ଇଣ୍ଟରନେଟ୍ ସେବା ପ୍ରଦାନ ପାଇଁ ଅନୁମତି ନ ଦେବା ଏବଂ ପୂର୍ବରୁ ପ୍ରଦତ୍ତ ଲାଇସେନ୍ସର ବାତିଲ କରିବାକୁ ସ୍ୱଦେଶୀ ଜାଗରଣ ମଞ୍ଚ ଦାବି କରିଛି।
ମଞ୍ଚ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଉପଗ୍ରହଭିତ୍ତିକ ଇଣ୍ଟରନେଟ୍ ବ୍ୟବସ୍ଥାରେ ବିଦେଶୀ ନିୟନ୍ତ୍ରଣ, ସମ୍ବେଦନଶୀଳ ତଥ୍ୟର ସୁରକ୍ଷା ଓ ଜରୁରୀକାଳୀନ ସ୍ଥିତିରେ ନେଟୱର୍କ ଉପରେ ଭାରତର ନିୟନ୍ତ୍ରଣ ସମ୍ପର୍କରେ ଗଭୀର ଆଶଙ୍କା ପ୍ରକାଶ କରିଛି ମଞ୍ଚ। ଏଥିସହ ଦେଶୀୟ ଗବେଷଣା, ପ୍ରଯୁକ୍ତି ଓ ଟେଲିକମ୍ ଉଦ୍ୟୋଗକୁ ପ୍ରାଥମିକତା ଦେବା ସହ ସମସ୍ତ ଉପଗ୍ରହଭିତ୍ତିକ ଯୋଗାଯୋଗ ସେବା ପାଇଁ କଠୋର ସୁରକ୍ଷା ମାନଦଣ୍ଡ ଲାଗୁ କରିବାକୁ ଦାବି ହୋଇଛି।

ମଞ୍ଚର ପ୍ରାନ୍ତ ସଂଯୋଜକ ଶ୍ରୀ ମନୋରଞ୍ଜନ ରାଉତରାୟ କହିଛନ୍ତି, “ଜାତୀୟ ସୁରକ୍ଷା, ନାଗରିକଙ୍କ ତଥ୍ୟର ଗୋପନୀୟତା ଏବଂ ଭାରତର ଡିଜିଟାଲ୍ ସାର୍ବଭୌମତ୍ୱ ସହ କୌଣସି ପ୍ରକାର ସାଲିସ୍ କରାଯିବା ଉଚିତ୍ ନୁହେଁ। ଉପଗ୍ରହ ଇଣ୍ଟରନେଟ୍ ସେବା କ୍ଷେତ୍ରରେ ଯେକୌଣସି ବିଦେଶୀ କମ୍ପାନୀକୁ ଅନୁମତି ଦେବା ପୂର୍ବରୁ ଦେଶର ସୁରକ୍ଷା ସ୍ୱାର୍ଥକୁ ସର୍ବାଧିକ ପ୍ରାଥମିକତା ଦେବା ଆବଶ୍ୟକ। ଭାରତୀୟ ଜ୍ଞାନକୌଶଳ, ସ୍ଵଦେଶୀ ଉଦ୍ୟୋଗ ଓ ସ୍ୱାବଲମ୍ବୀ ଭାରତର ଲକ୍ଷ୍ୟକୁ ସୁଦୃଢ଼ କରିବା ଦିଗରେ ସରକାର ଦୃଢ଼ ପଦକ୍ଷେପ ନିଅନ୍ତୁ।” ଦେଶର ଡିଜିଟାଲ୍ ସୁରକ୍ଷା ଓ ସ୍ୱାବଲମ୍ବନକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବା ଆବଶ୍ୟକ। କୋରାପୁଟ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ନରେଶ ଚନ୍ଦ୍ର ଶବରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସ୍ମାରକପତ୍ର ପ୍ରଦାନ ସମୟରେ ମଞ୍ଚର ବିଚାରବିଭାଗ ପ୍ରମୁଖ ରବିନାରାୟଣ ମିଶ୍ର, ତନ୍ମୟ ପ୍ରଧାନ, କେଶବ ପଟନାୟକ, ପ୍ରିୟ ରଞ୍ଜନ ଦାଶ, ଅର୍ଜୁନ ଦାସ, ରାଧାକୃଷ୍ଣ ଶତପଥି, ରାଜେନ୍ଦ୍ର ରଥ, କୈବର୍ତ୍ତ ସାମନ୍ତରାୟ, ବିଶ୍ୱନାଥ କାଦ୍ରକା, ପ୍ରଦୀପ୍ତ ବାରିକ, ବିଶ୍ୱନାଥ ପାଢ଼ୀ, ଶୈଳେଶ ପାତ୍ର ଓ ରତିକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Keep Koraput Online Free & Growing
Every story, local interview, and district update is made possible through dedicated community efforts. Your contribution directly funds server costs and independent ground reporting across Southern Odisha.
Contributions of any size even small amount can make a tangible difference.